Unknown

 

 

 

 

 

 

 

 

 

ଭକ୍ତ ଜୟକୃଷ୍ଣଙ୍କ ଚଉତିଶା

ଭକ୍ତ ଜୟକୃଷ୍ଣ

 

କରୁଣା କୃପାସିନ୍ଧୁ ବାନା ବୋହିଛ

 

କରୁଣା କୃପାସିନ୍ଧୁ ବାନା ବୋହିଛ, କଲେ ନିତ୍ୟ ଜଣାଣ,

କରତା ହେ, କର୍ଣ୍ଣେ ନାହିଁ ଶୁଣୁଛ ।୧।

 

ଖରାପ କରିନାହିଁ ତୁମ୍ଭ ଧର୍ମକୁ, ଖଟିଛି ଆଜ୍ଞା ମାନି,

କରତା ହେ, ତୁମ୍ଭ ପାଦ ପଦ୍ମକୁ ।୨।

 

ଗୁରୁ ବୋଲି ଦର୍ଶନ ନିତି କରୁଛି, ଗାଳିଗରବ ନିନ୍ଦା,

କରତା ହେ, ସବୁକଥା ସହୁଛି ।୩।

 

ଘଡ଼ିଏ ମନରୁ ନ ପାରେ ପାସୋରି, ଘୋଷୁଛି, ରାତ୍ରଦିନ,

କରତା ହେ, ତୁମ୍ଭଙ୍କୁ ଅନୁସରି ।୪।

 

ଉଦ୍ଧାର ହେବାପାଇଁ କରିଛି ଆଶ, ଏବେ କି ଦୋଷ ଦେଖି,

କରତା ହେ, କରୁଅଛ ନିରାଶ ।୫।

 

ଚାତକ ପ୍ରାୟ ଅନୁସରି ରହିଛି, ଚାହିଁ ଦୟା ନୋହିଲା,

କରତା ହେ, ଚିନ୍ତାର୍ଥୀରେ ପଡ଼ିଛି ।୬।

 

ଛାଡ଼ି ଦେଇଛ ମୋତେ ଦୁଷ୍ଟଙ୍କ ମେଳେ,

ଛାନିଆ ହେଉଅଛି କରତା ହେ, ଛାଇ ତଳ ନ ମିଳେ ।୭।

 

ଜାନ ଜୀବନ ସୁବ ଦେଇଛି ବିକି, ଜାଣି ଦୟା ନୋହିଲା

କରତା ହେ, ମୋର କି ଦୋଷ ଦେଖି ।୮।

 

ଝାଡ଼ ଭିତରେ ବଣା ହୋଇଲା ପରି, ଝାମ ମାରି ନେଉଛି

କରତା ହେ, ଜୀବ ଯିବ କି ସରି ।୯।

 

ନିଜ ଗୁରୁଙ୍କୁ କରିଥାଇ ଆଶ୍ରିତ, ନ ଜାଣିଥିଲି ମୁହିଁ

କରତା ହେ, ହେବ ବୋଲି ଏମନ୍ତ ।୧୦।

 

ଟାଣ ପଣକୁ ମୋର ଭାଙ୍ଗିଣ ଦେଲ, ଟିକେ ଦୟା ନ କରି,

କରତା ହେ, ଅଚିନ୍ତାରେ ରହିଲ ।୧୧।

 

ଠାକୁର ହୋଇ ମୋତେ ଠକିଣ ଗଲ, ଠିକେ ଗାଦି ତୋଳାଇ,

କରତା ହେ, ସମାଧିରେ ରହିଲ ।୧୨।

 

ଡାକ ପାରୁଛି ବସି ଦିବା ରଜନୀ, ଡୋଳାରେ ନ ଦେଖିଲି,

କରତା ହେ, ତୁମ୍ଭ ଡୋର କୌପୁନୀ ।୧୩।

 

ଢୁଳ ନମାଡ଼େ ମୋତେ ଦିବା ଶର୍ବରୀ, ଭକ୍ଷିଲା ବିଷ ପ୍ରାୟ,

କରତା ହେ, ଦେହେ ହେଉଛି ଘାରି ।୧୪।

 

ଅଣ ଅକ୍ଷରେ ଭଜି ଅଲେଖ ନାମ, ଏବେ ଜଣାପଡ଼ୁଛି,

କରତା ହେ, କର୍ମ ହେଲା ମୋ ବାମ ।୧୫।

 

ତିନି ବ୍ରହ୍ମାଣ୍ଡେ କଳ ନିଷ୍କାମ ଲୀଳା, ଡାକି ନ ପାରିବାରୁ,

କରତା ହେ, ତେଣୁ ବୁଡ଼ିଛି ଭେଳା ।୧୬।

 

ଥୟ ନୋହୁଛି ମୋର ପିଣ୍ଡ ପରାଣ,

ଥରହରେ ଥରୁଛି, କରତା ହେ, ରମ୍ଭାପତ୍ର ଯେସନ ।୧୭।

 

ଦଇବ କର୍ତ୍ତା ହୋଇ ଏମନ୍ତ କଲ, ଦୟାଧର୍ମ ନ କରି,

କରତା ହେ, ମୋତେ ଭସାଇ ଦେଲ ।୧୮।

 

ଧର୍ମ ଉଦେ କରିବ ବଡ଼ ନିଷ୍କାମ, ଧରି ନ ପାରିବାରୁ,

କରତା ହେ, ତେଣୁ ହୋଇଲି ଭ୍ରମ ।୧୯।

 

ନିଷ୍ଠା ପ୍ରତିଷ୍ଠା ଧର୍ମ ଜାଣି ନ ଥିଲି, ନ ପାଳିବାରୁ ମୁହିଁ,

କରତା ହେ, ତେଣୁ ଖରାପ ହେଲି ।୨୦।

 

ପୋଡ଼ୁ ଏ କଳିଯୁଗେ ଜନ୍ମ ହେବାର, ପଡ଼ିଗଲି ମାୟାରେ,

କରତା ହେ, ଜନ୍ମ କଲି ଅସାର ।୨୧।

 

ଫୁଲ ଫୁଟିଛି ବୃକ୍ଷେ ଫଳିବ ଫଳ, ଫଳ ଫଳିଲା ବେଳେ,

କରତା ହେ, ଉହାଡ଼ରେ ରହିଲ ।୨୨।

 

ବାନା ଉଡ଼ୁଛି ତିନିପୁର ମଧ୍ୟରେ, ବୁଦ୍ଧ ପ୍ରବୁଦ୍ଧ ବେଶ,

କରତା ହେ, ନ ଦେଖିଲି ନେତ୍ରରେ ।୨୩।

 

ଭରଣା ହେଲା କଣ୍ଟ ଅଛି ଅନାଇ, ଭାଳିଭାଳି ମରୁଛି,

କରତା ହେ, ଭେଟ ମିଳୁତ ନାହିଁ ।୨୪।

 

ମହିମା ନାମକୁ ମୁଁ ଭଜନା କରି, ମହତ ସରୁଅଛି,

କରତା ହେ, ବୁଝ ହାରି ଗୁହାରି ।୨୫।

 

ଯିବ ବାହାରି ବୋଲି ଜାଣି ନ ଥିଲି, ଜଗତ ଶୂନ୍ୟ କଲ,

କରତା ହେ, ଦେଖି ତାଟକା ହେଲି ।୨୬।

 

ଛବି ତଳରେ ବୁଦ୍ଧ ସ୍ୱରୂପ ଦେଖି, ରଚନା କଲି ପଦ,

କରତା ହେ, ତୁମ୍ଭ ଭଜନ ଲେଖି ।୨୭।

 

ଲୋଡ଼ୁଛି ଚଉଦିଗ ଶୂନ୍ୟ ଧରିତ୍ରୀ, ଲେଶେ ଦୟା ନକଲ,

କରତା ହେ, ଫାଟିଯାଉଛି ଛାତି ।୨୮।

 

ବୁଦ୍ଧବୈଷ୍ଣବ ବେଶଗୁରୁ ଅଲେଖ, ବାହ୍ୟରେ ଦେଖୁଥିଲି,

କରତା ହେ, ଏବେ କଲ ନିରେଖ ।୨୯।

 

ଶ୍ରୀଗୁରୁ ବୋଲି କରିଥିଲି ମୁଁ ଆଶା, ଶିରୀ ସମ୍ପଦ ଦାତା,

କରତା ହେ, କରିଗଲ ନିରାଶା ।୩୦।

 

ସଦଗୁରୁ ହୋଇଣ ଏମନ୍ତ କଲ, ସୋହତି ସାଗରେ ଯେ,

କରତା ହେ, ମତେ ଭସାଇ ଦେଲ ।୩୧।

 

ସରିଲା ସବୁ ସୁଖ ହୋଇଲା ଦୁଃଖ, ଶତ୍ରୁ ହିଂସାର୍ଥେ ପଡ଼ି,

କରତାହେ, ଚାହିଁବି କାହା ମୁଖ ।୩୨।

 

ହାଟ ଦାଣ୍ଡ ବାଟରେ ନ ପାରେ ଚାଲି, ହାଡ଼ରୁ ରକ୍ତମାଂସ,

କରତା ହେ, ଏବେ ପଡ଼ୁଛି ଝଡ଼ି ।୩୩।

 

କ୍ଷମାମନ୍ଦଙ୍କ ପାଦ ହୃଦରେ ଗୁଣି, କ୍ଷମା କର ମୋ ଦୋଷ,

କରତା ହେ, ଜୟୀ ପାମର ଭଣି ।୩୪।

 

କରୁଣାସାଗର ଅନାଦି ଈଶ୍ୱର

 

କରୁଣା ସାଗର ଅନାଦି ଈଶ୍ୱର କର କୃପା ବାରେ ଶୂନ୍ୟବାସୀ ।

କ୍ଷିତିମଣ୍ଡଳରେ ତୁମ୍ଭ ପରା ପ୍ରଭୁ ଥାଉଣ ମୁଁ ଯାଉଅଛି ଭାସି ।

ଗୁରୁ ମହିମା ହେ ।

ଘୋଟିଅଛି ତ୍ରିଭୁବନ ମହୀ ।

ଅନାଥ ହେଉଛି କେଉଁ ପଥେ ଯିବି ତ୍ରିଭୁବନେ ଠାବ ମିଳୁନାହିଁ ।

 

ଚିନ୍ତା ସାଗରରେ ଭେଳା ବୁଡ଼ୁଅଛି ଚାହିଁଲେ ନ ଦିଶେ ଦିଗ ମୋତେ ।

ଛାତି ଫୁଲଶଇ ତର୍ଜନ କରୁଅଛି ଦୁଷ୍ଟଙ୍କ ଭାଷା ସହିବି କେତେ ।

ଯୋଗ ଯୋଗୀନ୍ଦ୍ର ହେ ।

ଝାଡ଼ ଭିତରେ ପଡ଼ିଛି ଏକା ।

ନିଜ ମହିମାକୁ ଆଶ୍ରୟ କରିଛି କେହି ନାହିଁ ମୋର ସଙ୍ଗ ସଖା ।

 

ଟିଆ କଣ୍ଟ ଦେଇ ଯାଇଥିଲ ପ୍ରଭୁ ଟଳିବ ପରା ଅବନୀ ଭାର ।

ଠାକୁରଙ୍କ କଥା ନୁହଇ ଅନ୍ୟଥା ନ ମେଣ୍ଟେ କେବେ ପାଷାଣ ଗାର ।

ଡାକି କହୁଛି ହେ ।

ଢାଉରଙ୍ଗେ ସର୍ବେ ହେଲେ ବାଇ ।

ଅମଳେଣ କୁଳେ ମେଳ ପାଞ୍ଚୁଛନ୍ତି କେ ସହିବ ନର ଦେହ ବହି ।

 

ତାନ କରି ତାଳି ମାରି ଦେଉଛନ୍ତି ହାସ୍ୟ କରି କହୁଛନ୍ତି କଥା ।

ଥୟ ହେଉ ନାହିଁ ପଞ୍ଚଭୂତ ଆତ୍ମା ଡରେ ନୁଆଁଇ ବସିଛି ମଥା ।

ଦୀନ ଦୟାଳୁ ହେ ।

ଧର୍ମ ଅପରାଧୀ ଅଟେ ଯଦି ।

ନିଜ ଗୁରୁଦେବ ଜାଣି ଦଣ୍ଡ ଦିଅ ନୋହିଲେ ଏ ଶିର ଦିଅ ଛେଦି ।

 

ପିଣ୍ଡକୁ ଭୋ ପ୍ରଭୁ ଭୟ ମାଡ଼ୁଅଛି ଦେଖି ଅନ୍ୟାଚାର ଦୁରୁଦଣ୍ଡ ।

ଫେଡ଼ି କହୁଅଛି ଶିରେ କରଯୋଡ଼ି ଅଭୟ ପାଦେ ସମର୍ପି ପିଣ୍ଡ ।

ବାନା ଉଡ଼ୁଛି ହେ ।

ଭାରା କରିବ ପରା ଉଶ୍ୱାସ ।

ମହିମା ନାମକୁ ନିନ୍ଦା କରୁଛନ୍ତି ମଣୁଛନ୍ତି ଅଣ ଅବିଶ୍ୱାସ ।

 

ଜାତିରୁ ଅଜାତି କରି ଦେଉଛନ୍ତି ଜଣା ନାହିଁ ସତ୍ୟଯୁଗ ଧାରା ।

ରଜ ତମ ଗୁଣେ ପଡ଼ି ମୂଢ଼ ପଣେ ନିତ୍ୟେ କରୁଚନ୍ତି ପରଦାରା ।

ଲାଳି ସେ ପଡ଼ି ହେ ।

ବ୍ରହ୍ମାଣ୍ଡେ ହେଲେଣି ପରପଞ୍ଚ ।

ଶ୍ରୀବନ୍ତ ହୋଇ ଜଣକେ ଦେଖା ନାହିଁ ମିଥ୍ୟା କହି ଖାଉଛନ୍ତି ଲାଞ୍ଚ ।

 

ଶ୍ରୀଚରଣ ତଳେ ଶରଣ ପଶୁଛି ଦନ୍ତରେ ଧରିଣ ତିରଣ ।

ସ୍ୱାମୀଙ୍କ ପାଦେ ମୋ ସକଳ ଭରସା କେଉଁ କଥା ସ୍ୱାମୀତ ନଜାଣ ।

ହେଳା ନ କରି ହେ ।

ହରଷରେ ବୁଝାମଣା ହେଉ,

କ୍ଷମ ଜୟୀ ହୀନ କଲି ଯା ଜଣାଣ କ୍ଷିତି ମଧ୍ୟେ ତୁମ୍ଭ ଯଶ ରହୁ ।

 

କ୍ଷମାସାଗର ଶ୍ରୀଗୁରୁ

 

କ୍ଷମାସାଗର ଶ୍ରୀଗୁରୁ କହୁଛନ୍ତି ମନରେ ନ କରି କିଛି ଚିନ୍ତା ।

ହରିବି ଏଥର ବ୍ରହ୍ମାଣ୍ଡର ଭାର ଖିଆଲ ନ କର ଜ୍ଞାନ କଥା ।

ସତ୍ୟ କଥାକୁ ଯେ ।

ସହଜେ ବିକୃତି ବିଚାରିଲେ । ସାହସରେ କେହୁ ନିଆଁ ଗିଳିକରି,

ବର୍ତ୍ତିପାରିବି କି ରବି ତଳେ ।୧।

 

ସର୍ବ ସମାନରେ ସଂସାର ଭିତରେ, ନିଷ୍କାମ ଧର୍ମକୁ ସ୍ଥାପି ଦେଲି ।

ବଡ଼ ସାନ କେହି କାହାକୁ ନ ମାନି, ସର୍ବେ ଯାଉଛନ୍ତି ଏଥୁବଳି ।

ଲଘୁ ହୋଇବେ ଯେ ।

ଯେଉଁମାନେ ଧର୍ମ ନ ମାନିବେ । ରବି ତଳେ ତାଙ୍କ ମହତ୍ୱ ସରିବ,

ଲକ୍ଷେ ଜନ୍ମ ନର୍କେ ପଡ଼ିଥିବେ ।୨।

 

ଭାବ ଭକତିରେ ଯେଉଁମାନେ ଥିବେ ମୁକ୍ତିପଦ ତାଙ୍କୁ ନିଶ୍ଚେ ଦେବି ।

ବନେ ବା ଭୁବନେ ଯେ ଯହିଁରେ ଥାଉ, ଅବଶ୍ୟ ଉଦ୍ଧାର କରିନେବି ।

ଫେଡ଼ି କହୁଛି ଯେ ।

ପ୍ରକୃତି ପ୍ରଳୟ ଦେବି କାଟି । ନିଶ୍ଚୟ କହୁଛି ମହୀମଣ୍ଡଳେ

କରାଇବି ସତ୍ୟ ସାଧୁ ଗୋଷ୍ଠୀ ।୩।

 

ଧର୍ମଧାରା ଛାଡ଼ି ଅଧର୍ମରେ ପଡ଼ି ହେଉଛନ୍ତି ପ୍ରାଣୀ ଉନମତ୍ତ ।

ଦେବଦେବୀ ତୀର୍ଥବ୍ରତେ ଦଗ୍‌ଧା ହୋଇ ଚିହ୍ନି ନ ପାରିଲେ ସାଧୁସନ୍ଥ ।

ଥୟ କରିଣ ଯେ ।

ତତ୍ତ୍ୱ ନ ଭଜିଲେ ନିଜ ନାମ । ଅବଶ୍ୟ ତାହାଙ୍କୁ ଲୁହା ଶିକୁଳିରେ

ବାନ୍ଧିକରି ଦଣ୍ଡ ଦେବ ଯମ ।୪।

 

ଢଳି ପଡ଼ିବେଟି ଢମ ଢମାଳିଆ, ଜ୍ଞାନ କଥା ତାଙ୍କୁ ନାହିଁ ଜଣା ।

ଡାକି କହୁଛନ୍ତି ଏ ମହୀମଣ୍ଡଳେ, ଚକ୍ଷୁ ଥାଉ ସର୍ବେ ହେଲେ କଣା ।

ଠିକ କଥାକୁ ଯେ ।

ଟିଆକୁ ଯେ ଟାକିଥିବ ରହି । ନିଦାନ କହୁଛି ବ୍ରହ୍ମାଣ୍ଡ ଭିତରେ

ସତ୍ୟ ଯୁଗକୁ ବିହନ ସେହି ।୫।

 

ଝାଡ଼ ମଧ୍ୟେ ବତି ଜାଳି ଦିବା ରାତି, ଉଜ୍ଜ୍ୱଳ କରାଉଅଛି ମହୀ ।

ଜୀବନକୁ ଆଶା ଅଛି ଯା ବିଶ୍ୱାସ, ଭଜୁଥାଅ ପିଣ୍ଡ ପ୍ରାଣ ଦେଇ ।

ଛଛନ୍ଦ୍ରର ଯେ ।

ଚାରିଯୁଗ ଭକ୍ତ ହେବେ ରୁଣ୍ଡ ।୬।

 

ଘୋଟିବେ ଧରଣୀ ଭକ୍ତକୁଳ ଶ୍ରେଣୀ ଅଭକ୍ତିରେ ଜଣେ ହେଁ ନଥିବେ ।

ଗାଈ ଗୋରୁ ପଲ ହେବେ ଅପ୍ରବଳ, ଘୃତ ଧ୍ୱନି କୁଣ୍ଡ ପୂରାଇବେ ।

ଖାଇ ପିଇଣ ଯେ ।

କରୁଥିବେ ଭକ୍ତେ ନୃତ୍ୟ ଗାନ । କହେ ଜଇ ହୀନ ଶ୍ରୀମୁଖ ବଚନ

ତ୍ରିକାଳରେ କେଭେ ନୁହେଁ ଆନ ।୭।

 

କ୍ଷମା ମହିମା ଥାଉଁଥାଉଁ

 

କ୍ଷମା ମହିମା ଥାଉଁ ଥାଉଁ

ଖରାପ ନୁହ ଚାହୁଁ ଚାହୁଁ

।।

ହେଳା ନକରି କେହି ମନେ

ହେତୁରେ ଭଜ ଅନୁକ୍ଷଣେ

।।

ଶୁଭ ଦିଶୁଛି ଧର୍ମ ପଥ

ସୁସଙ୍ଗେ ହୋଇବ ଏକତ୍ୱ

।।

ସାମର୍ଥ ସୁସାଧୁ ଭକତ

ସମ୍ଭାଳି କରିବେ ଭକତ

।।

ଶ୍ରୀଗୁରୁ ଶୂନ୍ୟମାର୍ଗେ ଥିବେ

ଶୂନ୍ୟରୁ ଆଜ୍ଞା ଦେଉଥିବେ

।।

ବକଳ ପିନ୍ଧି ବସ୍ତ୍ର ଛାଡ଼ି

ବୁଲୁ ଅଛନ୍ତି ଘଡ଼ି ଘଡ଼ି

।।

ଲୋଡ଼ିଲେ ଜ୍ଞାନ ଚକ୍ଷୁଦ୍ୱାରେ

ଲଭିବ ମନୁଷ୍ୟ ଶରୀରେ

।।

ରାଜା ଉପରେ ମହାରାଜା

ରୂପ ସର୍ବେ କରନ୍ତି ପୂଜା

।।

ଯେ ଗୁରୁଭକ୍ତ ଭାବେ ଥିବ

ଜୀବନ୍ତେ ମହାସୁଖୀ ହେବ

।।

ମଲେ ନ ମଲେ ହେତୁ ରହେ

ମହିମା ଧ୍ୟାୟି ଜଇ କହେ

।।

ଭାଗ୍ୟେ ପାଇଛ ନର ଦେହ

ଭାଗି ନ ଯାଅ ଭଜୁଥାଅ

।।

ବହୁ ରଙ୍ଗରେ ରୂପ ଯାର

ବଦଳ କଲେ ରୂପ ତା’ର

।।

ଫରୁଆ ଭିତରର ହୀରା

ଫିଟିଲେ ଯେହ୍ନେ ଦିଶେ ତୋରା

।।

ପ୍ରଭୁଟି ସେହି ପରକାରେ

ପୂରିଛି ଭିତର ବାହାରେ

।।

ନିଜ ଶକତି ବଳେ ତାର

ଲୀଳା କରୁଛି ଚରାଚର

।।

ଧୂଳି ଧୂସର କଳେବର

ଧରଣୀ ମଣ୍ଡଳ ସୁନ୍ଦର

।।

ଦୀନ ବାନ୍ଧବ କୃପାସିନ୍ଧୁ

ଦୁଃଖୀ ଦରିଦ୍ର ଲୋକ ବନ୍ଧୁ

।।

ସ୍ଥାନ ସ୍ଥିତି ତାଙ୍କର ନାହିଁ

ଥାନ୍ତି ସକଳ ସ୍ଥାନେ ରହି

।।

ତିନି ଭୁବନ ନବଖଣ୍ଡ

ତାରିବେ ଅଶେଷ ବ୍ରହ୍ମାଣ୍ଡ

।।

ଅନ୍ୟ ଆଶ୍ରୟ ମନୁ ତେଜ

ଅନାଦି ଗୁରୁ ନାମ ଭଜ

।।

ଢମ ପଣକୁ ମନୁ ଛାଡ଼

ଢାଳି ସର୍ବାଙ୍ଗେ ପାଦେ ପଡ଼

।।

ଡାକ ଶ୍ରୀଗୁରୁ ନାମ ଧ୍ୟାୟି

ଡାକି ଭଣେ ପାମର ଜଇ

।।

ଠାକୁର ଅନାଦି ପୁରୁଷ

ଠୁଳ ଉପରେ ତାଙ୍କ ବାସ

।।

ଟାଣ ତାହାଙ୍କ ଶୂନ୍ୟ ବାନା

ଟେକିଲେ ଦୁର୍ଦ୍ଦଶା ଖଣ୍ଡନା

।।

ନାହିଁ ତାହାଙ୍କ ବାଡ଼ି ବୃତ୍ତି

ନିତି ସେ ପଡ଼ି ବାଣ୍ଟୁଛନ୍ତି

।।

ଝଟକ ଦିବ୍ୟ ପ୍ରାୟ କାନ୍ତି

ଝଟକ ଶୂନ୍ୟରେ ଦିଅନ୍ତି

।।

ଜୀବ ଯଦ୍ୟପି ତାଙ୍କୁ ରଟେ

ଜନ୍ମ ମରଣ ପଥ ତୁଟେ

।।

ଛନ୍ଦ କପଟ କ୍ରିୟା କର୍ମ

ଛାଡ଼ି ସକଳ ଲୋକ ଧର୍ମ

।।

ଚନ୍ଦ୍ର ସୂର୍ଯ୍ୟ କାନ୍ତି ପ୍ରାୟକ

ଚାହିଁ ସକଳ ଠାବେ ଦେଖ

।।

ଉଦୟ ଅସ୍ତ ସେ ନୁହଁନ୍ତି

ଅଲେଖ ଅଶ୍ରୁତି ଅମୂର୍ତ୍ତି

।।

ଘୋଟିଛନ୍ତି ପବନ ପ୍ରାୟେ

ଘର ବାହାର ସର୍ବଠାଏ

।।

ଗୁପତେ ଗୁରୁ ଅବତାର

ଜ୍ଞାନ ମୁକତିରେ ଭଣ୍ଡାର

।।

ଖଟ ପଲଙ୍କେ ନାହିଁ ଶୁଏ

କ୍ଷିତି ଉପରେ ସୁଖେ ହୁଏ

।।

କର ସେ ଗୁରୁ ପାଦେ ଧ୍ୟାନ

କହଇ ଜୟକୃଷ୍ଣ ହୀନ

।।

 

କର୍ଣ୍ଣଲୋଚନ ମନ ସ୍ଥିର

 

କର୍ଣ୍ଣଲୋଚନ ମନ ସ୍ଥିର

କରିଣ ଗୁରୁଙ୍କୁ ସୁମର

।।

କ୍ଷିତି ମଣ୍ଡଳେ ଯେତେ ଭକ୍ତ

ଖମ୍ବ ପ୍ରାୟେକ ହୁଅ ଶକ୍ତି

।।

ଗୁରୁ ଗୋପ୍ୟାନ ହେଲେ ବୋଲି

ଆଜ୍ଞା ନ ଛାଡ଼ ମନେ ଭାଳି

।।

ଘେନିଣ ଅଛ ଗୁରୁ ଆଜ୍ଞା

ଘୋଷ ତା ନ କର ଅବଜ୍ଞା

।।

ଉତ୍ତମ ପୁରୁଷ ରତନ

ଉଦୟ ଅସ୍ତ ନାହିଁ ଜାଣ

।।

ଚାରି ଯୁଗରେ ଛନ୍ତି ରହି

ଚର୍ମ ନେତ୍ରରେ ଦିଶେ ନାହିଁ

।।

ଛବେଦ ପରେ କଲେ ଜ୍ଞାନ

ଛଟକେ ମିଳଇ ଦର୍ଶନ

।।

ଜାଗ୍ରତ ପୁରୁଷଟି ସେହି

ଜନ୍ମମରଣ ତାଙ୍କ ନାହିଁ

।।

ଝରୁଛି ପାଦୁ ମକରନ୍ଦ

ଝସାଇ ପିଅ ଭକ୍ତ ବୃନ୍ଦ

।।

ନିଗମ ଶୂନ୍ୟ ଗାଦି ଘର

ନିତ୍ୟ ମଣ୍ଡଳି ସେହିଠାରେ

।।

ଟେକି ଅନାଦି ଗୁରୁବାନା

ଟିକାକେ ଗର୍ବ କରେ ଚୂନା

।।

ଠାକୁର ଶୂନ୍ୟ ବ୍ରହ୍ମ ଧ୍ୟାୟି

ଠିକେ ଭଣେ ପାମର ଜୟୀ

।।

ଡାକି କହୁଛି ଶୁଣ ଭାଇ

ଡୋଳାରେ ଖେଦ ସର୍ବେଯାଇ

।।

ଢେଙ୍କାନାଳ ଯୋରନ୍ଦା ଗ୍ରାମ

ଢାଙ୍କିଛି ତହିଁ ଶୂନ୍ୟ ବ୍ରହ୍ମ

।।

ଅନନ୍ତ ଗୁପ୍ତ ଫଣା ପରେ

ଆତ୍ମଜ୍ଞାନୀ ଦେଖନ୍ତି ଧୀରେ

।।

ତପ୍ତ କାଞ୍ଚନ ପ୍ରାୟେ ଦିଶେ

ତାଳୁକା ଉପରେ ପ୍ରକାଶେ

।।

ଥୟରେ ଯେଣୁ ରହେ ନାହିଁ

ଥୟ କରିଣ ନୁହେଁ ଚାହିଁ

।।

ଦର୍ଶନ ବେଳେ ଝଟ ଝଟ

ଦିଶନ୍ତି ଶୂନ୍ୟ ଗୁରୁ ଶ୍ରେଷ୍ଠ

।।

ଧର୍ମ ଧାରଣା ଏ ଜଗତ

ଧରିଛି ଅନାଦି ଅଚ୍ୟୁତ

।।

ନ ଖାଏ ନ ପିଏ ନ ଶୁଏ

ନିରତେ ଏକାନ୍ତରେ ରହେ

।।

ପିତା ମାତା ହିଁ ଯାର ନାହିଁ

ପୁତ୍ର ଭାରିଯା ତାର ନାହିଁ

।।

ଫକିର ବେଶ ସଦାଦିନେ

ଫେରୁ ଅଛନ୍ତି ପୂର୍ବ ସ୍ଥାନେ

।।

ବ୍ରହ୍ମାଣ୍ଡ ତାରିବାର ଅର୍ଥେ

ବାନା ଉଡ଼ୁଛି ପରମାର୍ଥେ

।।

ଭାବ ଭକ୍ତିରେ ଭେଟ ପାଇ

ଭଣେ ପାମର ହୀନ ଜଇ

।।

ମହିମା ନାମ ସର୍ବେ ଭଜ

ମନରୁ ସର୍ବ ଭ୍ରାନ୍ତି ତେଜ

।।

ଯେହୁ ମହିମା ଭଜିଥିବ

ଯମ ଦାଢ଼ରୁ ସେ ତରିବ

।।

ରଖିବା ପାଇଁ ସର୍ବ ଜୀବ

ରୂପ ବହିଲେ ଗୁରୁଦେବ

।।

ଲକ୍ଷେ ଜନମ କଲେ ତପ

ଲଭିଲେ ବଇଷ୍ଣବ ରୂପ

।।

ବୈଷ୍ଣବ ସର୍ବ ଅଭ୍ୟାଗତ

ବୃଦ୍ଧ ସ୍ୱରୂପରେ ଉଦିତ

।।

ସର୍ବ ଗୁଣ ନିର୍ଗୁଣ ବନ୍ତ

ଶ୍ରୀଗୁରୁ ସ୍ୱାମୀ ଅବଧୂତ

।।

ଶୂନ୍ୟ ମଣ୍ଡଳେ ଛନ୍ତି ରହି

ସତ୍ୟରେ ପାଳୁଛନ୍ତି ମହୀ

।।

ଶୁଭାଶୁଭ ତ ନାହିଁ ଜାଣ

ଶରଣ ଜନଙ୍କୁ ତାରଣ

।।

ହେତୁରେ ଧର ନ ପାସୋର

ହୋଇବ ନିଶ୍ଚେ ଅଜ୍ରାମର

।।

କ୍ଷମା ମହିମା ପାଦ ଧ୍ୟାୟି

କ୍ଷମେ ଭଣେ ପାମର ଜଇ

।।